ହୋମନିଆଁରେ ମୁଁ ଆହୁତି ଦେଇଛି
ସବୁ ମୋର ସ୍ନେହ ଶ୍ରଦ୍ଧା
ବାପଘରୁ ଗୋଡ଼ କାଢ଼ିଲି ଯେବେ ମୁଁ
ଆରେକ ହୋଇଲି ବନ୍ଧା। ୧।
ଏନ୍ତୁଡ଼ି ନିଆଁରୁ ବାପା ମାଆ ପାଖେ
କରିଥିଲି ଯାହା ଅଳି
ମୋ'ଓଠରେ ହସ ଦେବା ପାଇଁ ଟିକେ
ତାଙ୍କ ଖୁସି ଦେଇ ବଳି। ୨।
ମୋ'ଦେହରେ ଗୋଟେ ପଡ଼ିଲେ ପତର
ଛାତିରେ ପଡ଼େ ପଥର
ମୋ'ପାଇଁ କେତେ କଳି କତରାଳ
କା'ସଙ୍ଗୁ ହୋଇ ଅନ୍ତର। ୩।
ହୋମନିଆଁ ଠାରୁ ମଶାଣି ଜୁଇରେ
ସବୁ ମୋ'ସରିବ କଥା
ଶାସୁ ଶଶ୍ୱୁର ଓ ସ୍ୱାମୀ ପରିବାରେ
ନଇଁ ଚ଼ଳୁଥିଲେ ମଥା ।୪।
ଦୁହିତା ପରା ମୁଁ ଦୁଇ କୁଳେ ହିତା
ମୁଁ ଯେଣୁ ଅନୁବନ୍ଧିତା
ଦୁଇ କୁଳ ପାଇଁ ଗଢ଼ା ମୋ'ଜୀବନ
ବନ୍ଧା ମୋ'ପରାଣ ସୁତା। ୫।
ଦିଲ୍ଲୀପ୍ କୁମାର ନନ୍ଦୀ
ଭବାନିପାଟଣା କଳାହାଣ୍ଡି



0 Comments